Subscribe

Subscribe To My Poems

Wednesday, 18 October 2017

ଦୀପାବଳିର ସ୍ମୃତି - ଆମ ବଡ଼ ବଡ଼ୁଆଙ୍କର



ପବିତ୍ର ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ମନେ ପଡ଼ିଯାଉଛି ସେ  ପିଲା ଦିନ କଥା।

ସପ୍ତାହକ ଆଗରୁ ବୋଉ ଢାବଲରୁ ପୂର୍ବ ବର୍ଷର ଦୀପ କାଢ଼ି ଭଲ କରି ଧୋଇକି ଶୁଖାଉ ଥାଏ।

ଦୀପବଳି ଦିନ ଚିନି ମିଠେଇ ଆଣିବା କାମଟା ବାପାଙ୍କର। ଆହଃ ‐ ସେ ରଙ୍ଗକୁ ରଙ୍ଗର ହାତି, ଘୋଡ଼ା, ବାଘ ଇତ୍ୟାଦି ଇତ୍ୟାଦି!! ଘରେ ଥାଇ ମନରେ କେତେ ଉତ୍ସାହ ନେଇ ଅପେକ୍ଷା ବାପାଙ୍କ ବାଟକୁ ‐ କେତେବେଳେ ସେ ମିଠେଇ ନେଇକି ଆସିବେ। ସେ ମିଠେଇ ଖାଇବାରେ ଯେତିକି ଆନନ୍ଦ, ତାଠାରୁ ଉତ୍ସାହ ବୋଧେ ସେ ମିଠେଇର ଅପେକ୍ଷା!!

ଦିନ ଯାକ ଘରେ ସରଗରମ ‐ କେତେବେଳେ ବୋଉର ଡାକ, "ଆରେ ଛାତ ଉପରେ ଦୀପ ଗୁଡ଼ା ଶୁଖିଲାଣି କି, ଦେଖିକି ଆସ!" ଠୁଁ କାଉଁରିଆ ବିଡ଼ା ଆଣିବାପାଇଁ ମନେ ପକାଇବା।

ଏମିତି ସୂର୍ଯ୍ୟ ନଇଁ ଆସିଲାବେଳକୁ ବୋଉ ତାର ଅଣ୍ଟା ନଇଁକି ଦୀପରେ ତେଲ ଢାଳିବାରେ ବ୍ୟସ୍ତ। ସନ୍ଧ୍ୟା ହେଇ ଆସିଲା ବେଳକୁ ଭାଇ ଭଉଣୀ ପାଞ୍ଚଜଣ ଲାଗି ଯାଉ ଦୀପ ସଜାଇବାରେ। ଛାତ ଉପରେ ଛିଡ଼ା ହେଲେ ଭଳିକି ଭଳି ବାଣ, ହାବିଳି, ରକେଟ ଦ୍ବାରା ଆଲୋକିତ ଆକାଶକୁ ଦେଖି କେହି କେବେ ଚିନ୍ତା କରିବେନି ଏହା ଏକ ଅମାବାସ୍ଯା ରାତି। ମଝିରେ ମଝିରେ ଦୀପ ଗୁଡିଙ୍କୁ  ତେଜି  କି ତାଙ୍କର ଉତ୍ସାହ ବି ପ୍ରଜ୍ଜ୍ଵଳିତ ରଖିଥାଉ ଆମେ।

ଏମିତି ଆତସବାଜି, ରଙ୍ଗୀନ ଆକାଶ  ଓ ପିଠା ପଣାର ମହକି ଉଠୁଥିବା ପରିବେଶରେ ହଜି ଯିବା ସ୍ବାଭାବିକ। ସନ୍ଧ୍ୟା କେତେ ବେଳେ ରାତି ପାଇଁ ବାଟ କଢେଇ ଦେଇଥାଏ ଜାଣି ହୁଏନା।

ବୋଉର ଡାକ ଶୁଣିଲା ପରେ ମଧ୍ୟ ଛାତ ଉପରୁ ଫେରିବାକୁ ପାଦ ଦୁହେଁ ରାଜି ହୁଅନ୍ତିନି। ଦ୍ବିତୀୟ ଡାକ ଶୁଣିକି ଆମେ ଘରକୁ ଫେରି ଆସୁ ତ ଦେଖିବାକୁ ମିଳେ ଘରର ଲିପା ଚଟ୍ଟାଣ, ଓ ତା ଉପରେ ବୋଉ ପକାଇଥିବା ଚିତା। ପାଞ୍ଚଟି ପାନ ପତ୍ର ଉପରେ ପାଞ୍ଚ ପ୍ରକାର ଭୋଗ ସୁନ୍ଦର ଭାବରେ ସୁସଜ୍ଜିତ ହେଇ ରହିଥାଏ।  ପାଖରେ କାଉଁରିଆ ବିଡ଼ା ଥୁଆ ହେଇଥାଏ। ବିଡ଼ାର ମଝି ଅଂଶରେ ଗୋଟା ପାଚିଲା କଦଳିକୁ ଚାରିପାର୍ସ୍ବରୁ ବନ୍ଧା ହେଇଥାଏ।

ଚିନି ମିଠେଇ ଆଜି କଟକର ମିଠା ଦୋକାନରେ ମିଳୁଛି କି ନାହିଁ - କହି ପାରେନା,
ଘରେ ଘରେ ପିଲା ଆଜି ରଙ୍ଗ ରଙ୍ଗ ର ହାତି ଘୋଡ଼ା ପାଇଁ ସେତିକି ରଙ୍କ କି ନାହିଁ, ଅନୁମାନ କରି ହୁଏନା,
କିନ୍ତୁ ଆମ ଘରର ଦୀପାବଳି ରାତିର ସେ ଅଭିନ୍ନ ଅଙ୍ଗ ଏବେବି ସ୍ପଷ୍ଟଭାବେ ମନ ପଡ଼ିଯାଏ... ଆଜି ଆମ ଘରୁ ଗୋଟିଏ ସ୍ବର ନିଶ୍ଚୟ ଶୁଭିବ

"ବଡ଼ ବଡ଼ୁଆ ହୋ,
ଅନ୍ଧାରରେ ଆସ, ଆଲୁଅରେ ଯାଅ
ଗଙ୍ଗା ଯାଅ, ଗୟା ଯାଅ,
ଶ୍ରୀକ୍ଷେତ୍ର ପୁରୀ ଯାଇ, ମହାପ୍ରସାଦ ଖାଇ
ବାଇଶି ପାହାଚରେ ଗଡ଼ ଗଡ଼ଉ ଥାଅ"

ପବିତ୍ର ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଆପଣ ସମସ୍ତଙ୍କ ପାଇଁ। ଖୁସିରେ ଥାନ୍ତୁ 😊

© ଶଶିକାନ୍ତ ମହାନ୍ତି 
© Sashikant Mohanty

No comments:

Post a Comment